
Trust & Safety
ଠକମାନେ କିପରି ଆପଣଙ୍କ ଗ୍ରୁପ୍ ଚାଟରେ ଏଣ୍ଟର କରୁଛନ୍ତି ଏବଂ ଆପଣ ସେମାନଙ୍କଠାରୁ କିପରି ସୁରକ୍ଷିତ ରହିପାରିବେ
PhonePe Regional|3 min read|12 June, 2026
ଆମ ବାପା-ମା’ ଏବଂ ଜେଜେବାପା-ଜେଜେମା’ଙ୍କଠାରୁ ଆମେ ବୋଧହୁଏ ଗୋଟିଏ କଥା ଗପ ଆକାରରେ ଶୁଣିଥିବା ଯେ ପୁରୁଣା ଦିନରେ ସେମାନେ ଯୋଗାଯୋଗ ପାଇଁ ‘ଟେଲିଗ୍ରାମ’ ବ୍ୟବହାର କରୁଥିଲେ। ସେଥିପାଇଁ ଟେଲିଗ୍ରାଫ ଅଫିସରେ ଏକ ଫର୍ମ ପୂରଣ କରିବାକୁ ପଡ଼ୁଥିଲା ଏବଂ ଶବ୍ଦ ସଂଖ୍ୟା ଅନୁଯାୟୀ ଟଙ୍କା ଦେବାକୁ ହେଉଥିଲା। ସେହି ସମୟରେ, ଆଜିର ଇନଷ୍ଟାଣ୍ଟ ମେସେଜିଂ ଏକ କଳ୍ପନା ବାହାରର କଥା ଥିଲା।
ଆଜିକାଲିର ମେସେଜିଂ ଆପ୍ ଏବଂ ପେମେଣ୍ଟ ଆପରେ ଥିବା ଚାଟ୍ ଫିଚର ଯୋଗାଯୋଗକୁ ଅଧିକ ସହଜ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ବ୍ୟକ୍ତିଗତ ବା ବ୍ୟବସାୟିକ କଥାବାର୍ତ୍ତା ହେଉ ବା ପେମେଣ୍ଟ ଆପ୍ ମାଧ୍ୟମରେ ଗ୍ରୁପ ଖର୍ଚ୍ଚ ବିଷୟରେ ଆଲୋଚନା କରିବା, ଇନଷ୍ଟାଣ୍ଟ ମେସେଜିଂ ଆମର ଯୋଗାଯୋଗ ଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।
କିନ୍ତୁ ଏହାର ସୁଯୋଗ ନେଇ ଜାଲିଆତି କରୁଥିବା ବ୍ୟକ୍ତି ବା ଠକମାନେ ଲୋକଙ୍କ ଟଙ୍କା ଲୁଟିବା ପାଇଁ ମେସେଜିଂ ଏବଂ ପେମେଣ୍ଟ ଆପଗୁଡ଼ିକ ମଧ୍ୟରେ ଅନୁପ୍ରବେଶ କରୁଛନ୍ତି। ଏହି ବ୍ଲଗରେ, ଆମେ ବିସ୍ତୃତ ଭାବେ ଆଲୋଚନା କରିବୁ ଯେ ଏହି ସ୍କାମ ବା ଜାଲିଆତି କିପରି କାମ କରେ ଏବଂ ଆପଣ କିପରି ଏଭଳି ଠକାମିଠାରୁ ନିଜକୁ ସୁରକ୍ଷିତ ରଖିପାରିବେ।
ଚାଟ୍ ସ୍କାମ (ଠକେଇ) କିପରି କାମ କରେ?
ମେସେଜିଂ ଏବଂ ପେମେଣ୍ଟ ଆପଗୁଡ଼ିକର “ଚାଟ୍” ଏବଂ “ଗ୍ରୁପ” ଫିଚର ମାଧ୍ୟମରେ କିପରି ଏକ ସାଧାରଣ ଠକେଇ ହୋଇଥାଏ, ତାହା ନିମ୍ନରେ ଦର୍ଶାଗଲା:
- ଆପଣଙ୍କୁ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଗୋଟିଏ ବ୍ୟକ୍ତିଗତ ମେସେଜ ଆସେ କିମ୍ବା ଆପଣଙ୍କୁ ଏକ ବଡ଼ ଗ୍ରୁପରେ ଯୋଡ଼ି ଦିଆଯାଏ।
- ସେହି ଚାଟରେ “ଶୀଘ୍ର ଧନୀ ହେବାର” ଉପାୟ, ବେଟିଂ (ବାଜି ମାରିବା) ଟିପ୍ସ କିମ୍ବା ସ୍ପେଶାଲ “ଜୁଆ ଆପ” ରିୱ୍ୱାର୍ଡ ଭଳି ଜିନିଷ ଭରି ରହିଥାଏ।
- ଠକମାନେ ଏକ ଲିଙ୍କ ସେୟାର କରନ୍ତି, ଯାହା ପ୍ରାୟତଃ କୌଣସି ରିୱାର୍ଡ, କ୍ୟାଶବ୍ୟାକ କିମ୍ବା ଗେମିଂ ଲିଙ୍କ ଭଳି ଦେଖାଯାଉଥାଏ।
- ସେହି ଲିଙ୍କ ଉପରେ କ୍ଲିକ କରିବା ଦ୍ୱାରା ଏକ ସାଇଡଲୋଡେଡ APK ଫାଇଲ ଇନଷ୍ଟଲ ହୋଇଯାଏ। ଥରେ ଇନଷ୍ଟଲ ହେବା ପରେ, ଏହି ଆପଟି ବ୍ୟାକଗ୍ରାଉଣ୍ଡରେ (ପଛରେ) ଚାଲି ନିମ୍ନଲିଖିତ କାମଗୁଡ଼ିକ କରେ:
- OTP ଫରୱାର୍ଡ କରିବା: ଆପଣଙ୍କ ମୋବାଇଳକୁ ଆସୁଥିବା SMS/OTP କୁ ଅଟକାଇ ତାହାକୁ ଠକମାନଙ୍କ ପାଖକୁ ପଠାଇଦିଏ।
- ଡକ୍ୟୁମେଣ୍ଟ ଆକ୍ସେସ କରିବା: ଆପଣଙ୍କର ଆଧାର, PAN ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଫାଇଲ ବା ଫଟୋଗୁଡ଼ିକୁ ଚୋରି କରିନିଏ।
- ଆପଣଙ୍କ OTP ଏବଂ ପରିଚୟପତ୍ର ବ୍ୟବହାର କରି ଠକ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇ ଆପଣଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଉଠାଇ ନେଇଯାଏ ଏବଂ ପରବର୍ତ୍ତୀ ଅପରାଧ କରିବା ପାଇଁ ସିନ୍ଥେଟିକ ଆଇଡେଣ୍ଟିଟି (ଆପଣଙ୍କ ଅସଲି ତଥ୍ୟ ବ୍ୟବହାର କରି ତିଆରି କରାଯାଇଥିବା ନକଲି ପରିଚୟ) ସୃଷ୍ଟି କରେ।
ଗ୍ରୁପ ଚାଟ୍ ସ୍କାମରୁ ନିଜକୁ କିପରି ସୁରକ୍ଷିତ ରଖିବେ
ସତର୍କତାର ସହ ବ୍ୟବହାର କଲେ ଡିଜିଟାଲ ପେମେଣ୍ଟ ଏବଂ ଆପଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ। APK କିମ୍ବା ନକଲି ଆପ୍ ଜରିଆରେ ହେଉଥିବା ଅଧିକାଂଶ ଜାଲିଆତି କେବଳ ଆମର ବ୍ୟାକୁଳତା, ଭୟ କିମ୍ବା ଅତ୍ୟଧିକ ଉତ୍ସାହ ଯୋଗୁଁ ବିନା ଯାଞ୍ଚରେ ତରବରିଆ ଭାବେ ପଦକ୍ଷେପ ନେବା କାରଣରୁ ହିଁ ଘଟିଥାଏ। ଏଭଳି ବଡ଼ ଧରଣର ଆର୍ଥିକ କ୍ଷତିରୁ ନିଜକୁ ରକ୍ଷା କରିବା ପାଇଁ, ଆପର ସୋର୍ସ, ଡେଭଲପରଙ୍କ ଇମେଲ, ଆପ ମାଗୁଥିବା ଅନୁମତି ଏବଂ ଯେକୌଣସି ଲିଙ୍କର ସତ୍ୟତାକୁ ଭଲଭାବେ ଯାଞ୍ଚ କରିବା ପାଇଁ କିଛି ସମୟ ନେବା ନିହାତି ଜରୁରୀ।
ସାଇବର ଠକାମିରୁ ସୁରକ୍ଷିତ ରହିବା ପାଇଁ କିଛି ଜରୁରୀ ଟିପ୍ସ:
- ଚାଟରେ ପଠାଯାଇଥିବା କୌଣସି ବି ଲିଙ୍କ ଉପରେ କ୍ଲିକ କରି ଆପ୍ ଡାଉନଲୋଡ କିମ୍ବା ଇନଷ୍ଟଲ କରନ୍ତୁ ନାହିଁ। ଏଗୁଡ଼ିକ ମାଲୱେର ବା ଭାଇରସ ହୋଇଥାଇପାରେ, ଯାହା ଆପଣଙ୍କର ସମ୍ବେଦନଶୀଳ ତଥ୍ୟକୁ ଚୋରି କରିନେଇପାରେ। ଆପଗୁଡ଼ିକୁ କେବଳ Indus Appstore, Google Play Store କିମ୍ବା ଆପ୍ ଷ୍ଟୋରରୁ ହିଁ ଡାଉନଲୋଡ କରନ୍ତୁ।
- ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ନଥିବା କୌଣସି ଅଜଣା ଫୋନ ନମ୍ବର ଦ୍ୱାରା ଆରମ୍ଭ କରାଯାଇଥିବା ଗ୍ରୁପ କିମ୍ବା ଚାଟ୍ ପ୍ରତି ସତର୍କ ରୁହନ୍ତୁ।
- ଆପଣଙ୍କ ଫୋନ ସେଟିଂସକୁ ଯାଇ ସମୟେ ସମୟେ ଯାଞ୍ଚ କରନ୍ତୁ ଯେ କେଉଁ କେଉଁ ଆପ୍ଗୁଡ଼ିକୁ “SMS ପଢିବା” କିମ୍ବା “ଫାଇଲ ଆକ୍ସେସ କରିବା” କୁ ଅନୁମତି ମିଳିଛି।
- କୌଣସି ବି ବୈଧ ପ୍ଲାଟଫର୍ମ କିମ୍ବା ବ୍ୟାଙ୍କ ଅଧିକାରୀ କେବେବି ଆପଣଙ୍କୁ ଚାଟ୍ କିମ୍ବା କଲ୍ ମାଧ୍ୟମରେ OTP ମାଗିବେ ନାହିଁ।
- ଅନଧିକୃତ ବ୍ୟବହାର ବା ପ୍ରବେଶକୁ ରୋକିବା ପାଇଁ ଏବଂ ସୁରକ୍ଷାର ଆଉ ଏକ ସ୍ତର ଯୋଡ଼ିବା ପାଇଁ ଆପଣଙ୍କ ପେମେଣ୍ଟ ଆପଗୁଡ଼ିକରେ ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ ଆଇଡି ଲକ ବ୍ୟବହାର କରନ୍ତୁ।
ଯଦି ଆପଣ ଏକ ନକଲି ଆପ୍ ଇନଷ୍ଟଲ କରିଦେଇଛନ୍ତି, ତେବେ କ’ଣ କରିବେ
- ତୁରନ୍ତ ଆପ୍ ଅନଇନଷ୍ଟଲ କରନ୍ତୁ।
- କିଛି ସମୟ ପାଇଁ ଆପଣଙ୍କ ମୋବାଇଲ ଡାଟା ଏବଂ Wi-Fi କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଅନ୍ତୁ।
- ଆପଣଙ୍କ ବ୍ୟାଙ୍କିଂ, ଇମେଲ ଏବଂ ପେମେଣ୍ଟ ଆପଗୁଡ଼ିକର ପାସୱାର୍ଡ ତୁରନ୍ତ ବଦଳାଇ ଦିଅନ୍ତୁ।
- ଆପଣଙ୍କ ଆକାଉଣ୍ଟ ଉପରେ ନଜର ରଖିବା ପାଇଁ କିମ୍ବା କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ତୁରନ୍ତ ନିଜ ବ୍ୟାଙ୍କ/ପେମେଣ୍ଟ ସର୍ଭିସ ପ୍ରୋଭାଇଡରଙ୍କ ସହ ଯୋଗାଯୋଗ କରନ୍ତୁ।
କିପରି ଅଭିଯୋଗ କରିବେ?
ଯଦି ଆପଣ ସନ୍ଦେହ କରୁଛନ୍ତି ଯେ ଆପଣ ଏକ ଠକେଇର ଶିକାର ହୋଇଛନ୍ତି, ତେବେ ତୁରନ୍ତ ଏହାର ଅଭିଯୋଗ କରନ୍ତୁ:
PhonePe ରେ ଅଭିଯୋଗ କରିବା:
- PhonePe ଗ୍ରୁପ ଚାଟ୍: ଯଦି ଆପଣଙ୍କୁ କୌଣସି ଗ୍ରୁପ ସନ୍ଦେହଜନକ ବା ଜାଲିଆତି ଭଳି ମନେହୁଏ, ତେବେ ଆପଣ ଗ୍ରୁପ ପ୍ରୋଫାଇଲ ଭିତରକୁ ଯାଇ “Exit/ବାହାରି ଯାଆନ୍ତୁ” ଏବଂ “ରିପୋର୍ଟ କରନ୍ତୁ” ବିକଳ୍ପ ଉପରେ କ୍ଲିକ କରିପାରିବେ।
- PhonePe ଆପ୍: Help/ସହାୟତା ବିଭାଗକୁ ଯାଇ ଏକ ଅଭିଯୋଗ ଦାଖଲ କରନ୍ତୁ।
- PhonePe କଷ୍ଟମର କେୟାର: 80-68727374 / 022-68727374 ନମ୍ବରରେ କଲ କରନ୍ତୁ।
- ସୋସିଆଲ ମିଡିଆରେ ଅଭିଯୋଗ:
- Twitter: PhonePe Support
- Facebook: PhonePe Official
- ଅଭିଯୋଗ ସମାଧାନ: PhonePe ଅଭିଯୋଗ ପୋର୍ଟାଲରେ ଏକ ଅଭିଯୋଗ ଦାଖଲ କରନ୍ତୁ।
ସରକାରୀ ସଂସ୍ଥାକୁ ରିପୋର୍ଟ କରିବା:
- ସାଇବର କ୍ରାଇମ ସେଲ: ସାଇବର କ୍ରାଇମ ପୋର୍ଟାଲରେ ଅନଲାଇନରେ ଏକ ଅଭିଯୋଗ ଦାଖଲ କରନ୍ତୁ କିମ୍ବା 1930 କୁ କଲ କରନ୍ତୁ।
- ଦୂରସଞ୍ଚାର ବିଭାଗ (DOT): ସନ୍ଦେହଜନକ ମେସେଜ, କଲ କିମ୍ବା ହ୍ଵାଟ୍ସଆପ/ଟେଲିଗ୍ରାମ ଠକେଇ ବିଷୟରେ ସଞ୍ଚାର ସାଥୀ ପୋର୍ଟାଲ ଚକ୍ଷୁ (Chakshu) ସୁବିଧା ମାଧ୍ୟମରେ ରିପୋର୍ଟ କରନ୍ତୁ।
ଗୁରୁତ୍ୱପୂର୍ଣ୍ଣ ସୂଚନା — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ମାଗେ ନାହିଁ। ଯଦି କୌଣସି ଇମେଲ phonepe.com ଡୋମେନରୁ ଆସିନଥାଏ, ତେବେ PhonePe ନାମରେ ଆସିଥିବା ସେହିଭଳି ଇମେଲଗୁଡ଼ିକୁ ଅଣଦେଖା କରନ୍ତୁ। ଯଦି ଆପଣଙ୍କୁ ଠକେଇର ସନ୍ଦେହ ହୁଏ, ତେବେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ।
