
Trust & Safety
ନୂଆ ଠକେଇର ଟ୍ରେଣ୍ଡ: ମିଲିଟାରୀ ସାଜି ଲୋକଙ୍କୁ ଲୁଟୁଛନ୍ତି ଠକ
PhonePe Regional|3 min read|29 July, 2026
ଆମର ଟ୍ରଷ୍ଟ ଏଣ୍ଡ ସେଫ୍ଟି ଟିମ୍ ଭାରତୀୟ ସେନାବାହିନୀର ଅଧିକାରୀ କିମ୍ବା ଜବାନଙ୍କ ନାଁରେ ନକଲି ପରିଚୟ ଦେଇ ନିରୀହ ନାଗରିକଙ୍କୁ ଠକୁଥିବା ଠକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରିଛନ୍ତି। ମିଲିଟାରୀ ପ୍ରତି ଲୋକଙ୍କ ମନରେ ଥିବା ଅଗାଧ ସମ୍ମାନ ଏବଂ ବିଶ୍ୱାସର ସୁଯୋଗ ନେଇ, ଏହି ଠକମାନେ ଅତ୍ୟନ୍ତ ଚାପପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରନ୍ତି ଏବଂ ଅସାବଧାନ ନାଗରିକଙ୍କ କଷ୍ଟଅର୍ଜିତ ଟଙ୍କା ହଡ଼ପ କରିନିଅନ୍ତି। ଭାରତର ବିଭିନ୍ନ ପ୍ରାନ୍ତରେ ଏହି ଜାଲିଆତି ଶୀଘ୍ର ବ୍ୟାପୁଥିବାରୁ, ଏହି କୌଶଳ କିପରି କାମ କରେ ତାହା ବୁଝିବା ଅତ୍ୟନ୍ତ ଜରୁରୀ।
ଏକ ସାଧାରଣ ପରିସ୍ଥିତି
ଏହି ଠକାମି କେତେ ଶୀଘ୍ର ଏବଂ ଚାଲାକିର ସହ ହୋଇଥାଏ, ତାହା ବୁଝିବା ପାଇଁ ତଳେ ଦିଆଯାଇଥିବା ସାଧାରଣ ଉଦାହରଣକୁ ଦେଖନ୍ତୁ। ଏଥିରେ ଠକ ଜଣକ ନିଜକୁ ଜଣେ ମିଲିଟାରୀ ଅଫିସର ଭାବେ ପରିଚୟ ଦେଇ ଅନଲାଇନରେ ବିକ୍ରି ପାଇଁ ପୋଷ୍ଟ ହୋଇଥିବା ଆସବାବପତ୍ର କିଣିବାକୁ ଆଗ୍ରହ ପ୍ରକାଶ କରେ। ସେ ନିଜର ଏହି ନକଲି ପରିଚୟ ବ୍ୟବହାର କରି ବିକ୍ରେତାଙ୍କ ଉପରେ ଚାପ ପକାଏ, ଶୀଘ୍ର କାମ ସାରିବାକୁ ବାଧ୍ୟ କରେ ଏବଂ ସନ୍ଦେହରେ ପକାଇଦିଏ – ଫଳରେ ବିକ୍ରେତା ଜଣଙ୍କ ଟଙ୍କା ପାଇବା ବଦଳରେ ଓଲଟା ନିଜ ଆକାଉଣ୍ଟରୁ ଟଙ୍କା ଦେଇ ବସନ୍ତି।

ଏହି ବ୍ଲଗରେ ଆଲୋଚନା କରାଯାଇଛି ଯେ, ଏହି ସୋସିଆଲ ଇଞ୍ଜିନିୟରିଂ ଆଟାକ କିପରି କାମ କରେ ଏବଂ ଆପଣଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ PhonePe ବ୍ୟବହାର କରୁଥିବା ଆଧୁନିକ ସୁରକ୍ଷା ଟୁଲଗୁଡ଼ିକ ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି।
ଏହି ଠକାମି କିପରି କାମ କରେ?
ଏହା ଏକ ସାଧାରଣ ସୋସିଆଲ ଇଞ୍ଜିନିୟରିଂ ଆଟାକ। ଠକମାନେ ଭଏସ କଲ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ସମ୍ଭାବ୍ୟ ପୀଡ଼ିତମାନଙ୍କ ସହ ସମ୍ପର୍କ କରନ୍ତି। ସେମାନେ ଅତ୍ୟଧିକ ମାନସିକ ଚାପ ସୃଷ୍ଟି କରି ଲୋକଙ୍କୁ ଯୁକ୍ତିଯୁକ୍ତ ଭାବେ ଭାବିବା ପୂର୍ବରୁ ତୁରନ୍ତ ନିଷ୍ପତ୍ତି ନେବାକୁ ବାଧ୍ୟ କରନ୍ତି। ଉପରୋକ୍ତ ଘଟଣା ପରି, ନକଲି ଆର୍ମି ଅଫିସରଙ୍କୁ ବିଶ୍ୱାସ କରି ଏବଂ ଆକାଉଣ୍ଟକୁ ଟଙ୍କା ଆସିବାର ଆଶା ରଖି ଯେତେବେଳେ ଜଣେ ବ୍ୟକ୍ତି ଅଜାଣତରେ ନିଜର UPI ପିନ ଏଣ୍ଟର କରନ୍ତି, ମାତ୍ର କିଛି ସେକେଣ୍ଡ ମଧ୍ୟରେ ସେମାନଙ୍କର ଆର୍ଥିକ କ୍ଷତି ହୋଇଥାଏ।
ମିଲିଟାରୀ ଅଫିସର ସାଜି ଜାଲିଆତି କରିବାର କୌଶଳ
1. ବ୍ୟକ୍ତିବିଶେଷଙ୍କୁ ଲକ୍ଷ୍ୟ କରି ପେମେଣ୍ଟ ଫାନ୍ଦ
- କିଏ ହୁଅନ୍ତି ଏମାନଙ୍କ ଶିକାର: ଠକମାନେ ପ୍ରାୟତଃ ଅନଲାଇନରେ ସାମଗ୍ରୀ ବିକ୍ରି କରୁଥିବା ଲୋକ, ଭଡ଼ାଟିଆ ଖୋଜୁଥିବା ଘରମାଲିକ, ଡାକ୍ତର, ଟ୍ୟୁଟର ଏବଂ ସ୍ଥାନୀୟ ସର୍ଭିସ ପ୍ରୋଭାଇଡରଙ୍କୁ ନିଜର ଶିକାର ବନାନ୍ତି।
- ଜାଲ: ଏହି ଲୋକମାନେ ନିଜକୁ ମିଲିଟାରୀ ଅଫିସର କିମ୍ବା ଜବାନ ବୋଲି ପରିଚୟ ଦିଅନ୍ତି (ଯେପରି ଉପରୋକ୍ତ ଉଦାହରଣରେ “କ୍ୟାପ୍ଟେନ କୁମାର”) ଏବଂ କହନ୍ତି ଯେ ସେମାନଙ୍କୁ ଆପଣଙ୍କ ସାମଗ୍ରୀ କିମ୍ବା ସେବା ତୁରନ୍ତ ଦରକାର, କିନ୍ତୁ “ଆର୍ମି କ୍ୟାମ୍ପର କଡ଼ା ନିୟମ”ର ବାହାନା ଦେଖାଇ ଆପଣଙ୍କ ସହ ସିଧାସଳଖ ଦେଖା କରନ୍ତି ନାହିଁ।
- ମାନସିକ ଜାଲ: ଆପଣଙ୍କ ବିଶ୍ୱାସ ଜିତିବା ପାଇଁ ଠକମାନେ ନକଲି ଡକ୍ୟୁମେଣ୍ଟ ସେୟାର କରନ୍ତି – ଯେପରିକି ନକଲି ଆଧାର, ନକଲି ଆର୍ମୀ କାର୍ଡ ଏବଂ ସେମାନଙ୍କର ନକଲି ଫଟୋ। ଏହାପରେ, ସେମାନେ ଆପଣଙ୍କୁ ବିଶ୍ୱାସ ଦିଅନ୍ତି ଯେ ଆପଣଙ୍କୁ ଏକ ଆଧିକାରିକ “ସରକାରୀ ମର୍ଚାଣ୍ଟ ୱାଲେଟ” ମାଧ୍ୟମରେ ଆଗୁଆ ଟଙ୍କା ପଠାଯାଉଛି।
- ଠକାମିର ପ୍ରଣାଳୀ: ସେମାନେ ଆପଣଙ୍କୁ ଏକ ପେମେଣ୍ଟ ଅନୁରୋଧ କିମ୍ବା QR କୋଡ ପଠାନ୍ତି ଏବଂ “ଆସୁଥିବା ଟଙ୍କାକୁ ଗ୍ରହଣ କରିବା ପାଇଁ” UPI ପିନ ଏଣ୍ଟର କରିବାକୁ କହନ୍ତି। କିନ୍ତୁ ପ୍ରକୃତରେ, UPI ପିନ ଏଣ୍ଟର କରିବା ଦ୍ୱାରା ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଏ ଏବଂ ଆକାଉଣ୍ଟ ଖାଲି ହୋଇଯାଏ।
2. ବ୍ୟବସାୟଗୁଡ଼ିକୁ ଟାର୍ଗେଟ କରି ଆଡଭାନ୍ସ ଟ୍ରାପ
- କିଏ ହୁଅନ୍ତି ଏମାନଙ୍କ ଶିକାର: ହୋଲସେଲ ବ୍ୟବସାୟୀ ଏବଂ କ୍ଷୁଦ୍ର-ମଧ୍ୟମ ବ୍ୟବସାୟୀ।
- ଲୋଭ: ନକଲି ମିଲିଟାରୀ ଅଫିସର ସାଜି ଠକୁଥିବା ବ୍ୟକ୍ତି, କ୍ୟାମ୍ପ୍ ପାଇଁ ବିପୁଳ ପରିମାଣର ସାମଗ୍ରୀ କିଣିବାର ବାହାନା କରି ଆପଣଙ୍କୁ ଲୋଭ ଦେଖାଏ।
- ମାନସିକ ଜାଲ: ଏହାପରେ, ସେନାବାହିନୀର କଡ଼ା କ୍ରୟ ନିୟମର ଆଳ ଦେଖାଇ, ଠକ ଜଣକ ଦାବି କରେ ଯେ ବ୍ୟବସାୟୀଙ୍କୁ ଏକ “ମର୍ଚାଣ୍ଟ ରଜିଷ୍ଟ୍ରେସନ ଫି’” କିମ୍ବା “ସର୍ବନିମ୍ନ ସିକ୍ୟୁରିଟି ଡିପୋଜିଟ” ଜମା କରିବାକୁ ପଡ଼ିବ।
- ଠକାମିର ପ୍ରଣାଳୀ: ଥରେ ସେହି ନକଲି ଫି’ ଜମା ହୋଇଗଲା ପରେ, ସ୍କାମର (ଠକ) ନିଜର ସମସ୍ତ ଯୋଗାଯୋଗ ବନ୍ଦ କରି ଗାୟବ ହୋଇଯାଏ ଏବଂ ତାଙ୍କ ସହ ସମ୍ପର୍କ କରିବାର କୌଣସି ବାଟ ନଥାଏ।
PhonePe ର ଅଟୋମେଟେଡ ଡିଫେନ୍ସ ଟୁଲ୍ସ
PhonePe ରେ ଏହିଭଳି ଡାଇନାମିକ ସ୍କାମକୁ ଚିହ୍ନଟ କରିବା ଏବଂ ରୋକିବା ପାଇଁ କଡ଼ା ସାଇବର-ସିକ୍ୟୁରିଟି ସିଷ୍ଟମ ରହିଛି। ଏହାର ଏକ ରିଅଲ-ଟାଇମ ସିକ୍ୟୁରିଟି ଫିଚର ହେଉଛି ‘PhonePe Protect’ – ଏହା PhonePe ର ନିଜସ୍ୱ AI-ଆଧାରିତ ସୁରକ୍ଷା ଫ୍ରେମୱର୍କ, ଯାହା ସିଧାସଳଖ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ (DoT) ସହିତ ସଂଯୁକ୍ତ। ଏହା ଟଙ୍କା ପାଉଥିବା ବ୍ୟକ୍ତିଙ୍କ ଫୋନ ନମ୍ବରକୁ, ଠକେଇ କରୁଥିବା ବ୍ୟକ୍ତି ଭାବେ ରିପୋର୍ଟ ହୋଇଥିବା ଲୋକଙ୍କ ଲାଇଭ ନ୍ୟାସନାଲ ଡାଟାବେସ ସହ ଯାଞ୍ଚ କରିଥାଏ। ଏହା ଏହିପରି ଭାବେ କାମ କରେ:
- ଇନଷ୍ଟାଣ୍ଟ ବ୍ଲକ (ତୁରନ୍ତ ଅବରୋଧ): ଯଦି PhonePe Protect କୌଣସି ଫୋନ ନମ୍ବରକୁ ‘ହାଇ ରିସ୍କ’ (ଅତ୍ୟନ୍ତ ବିପଜ୍ଜନକ) ବୋଲି ଚିହ୍ନଟ କରେ, ତେବେ PhonePe ସ୍ୱୟଂଚାଳିତ ଭାବେ ସେହି ପେମେଣ୍ଟକୁ ତୁରନ୍ତ ବ୍ଲକ ଏବଂ ପ୍ରତ୍ୟାଖ୍ୟାନ କରିଦିଏ।
- ସଚେତନତା ସତର୍କତା ବାର୍ତ୍ତା: ଯଦି PhonePe କୁ କୌଣସି ଟ୍ରାଞ୍ଜାକସନ ସନ୍ଦେହଜନକ ଲାଗେ, ତେବେ ତାହା ଯୁଜରଙ୍କ ଟଙ୍କା ବଞ୍ଚାଇବା ପାଇଁ ଟ୍ରାଞ୍ଜାକସନକୁ ତୁରନ୍ତ ରୋକି ଦିଏ। ଏହାପରେ ସ୍କ୍ରିନରେ ଏକ ସିକ୍ୟୁରିଟି ଆଲର୍ଟ (ସୁରକ୍ଷା ଚେତାବନୀ) ଆସେ, ଯାହା ଯୁଜରଙ୍କୁ ସତର୍କ କରାଏ ଏବଂ ପଚାରେ ଯେ କେହି କଲ୍ରେ ସେମାନଙ୍କୁ ଭୁଲାବାଲି କରିବାକୁ କିମ୍ବା ଚାପ ପକାଇବାକୁ ଚେଷ୍ଟା କରୁନାହାଁନ୍ତି ତ? UPI ପିନ ଏଣ୍ଟର କରିବା ପୂର୍ବରୁ ଯୁଜରଙ୍କୁ ସତର୍କ କରାଉଥିବା ଏହି ଆଲର୍ଟ କିଛି ଏହିପରି ଦେଖାଯାଏ:

କିପରି ଅଭିଯୋଗ କରିବେ?
ଯଦି ଆପଣ ସନ୍ଦେହ କରୁଛନ୍ତି ଯେ ଆପଣ ଏକ ଠକେଇର ଶିକାର ହୋଇଛନ୍ତି, ତେବେ ତୁରନ୍ତ ଏହାର ଅଭିଯୋଗ କରନ୍ତୁ:
PhonePe ରେ ଅଭିଯୋଗ କରିବା:
- PhonePe ଗ୍ରୁପ ଚାଟ୍: ଯଦି ଆପଣଙ୍କୁ କୌଣସି ଗ୍ରୁପ ସନ୍ଦେହଜନକ ବା ଜାଲିଆତି ଭଳି ମନେହୁଏ, ତେବେ ଆପଣ ଗ୍ରୁପ ପ୍ରୋଫାଇଲ ଭିତରକୁ ଯାଇ “Exit/ବାହାରି ଯାଆନ୍ତୁ” ଏବଂ “ରିପୋର୍ଟ କରନ୍ତୁ” ବିକଳ୍ପ ଉପରେ କ୍ଲିକ କରିପାରିବେ।
- PhonePe ଆପ୍: Help/ସହାୟତା ବିଭାଗକୁ ଯାଇ ଏକ ଅଭିଯୋଗ ଦାଖଲ କରନ୍ତୁ।
- PhonePe କଷ୍ଟମର କେୟାର: 80-68727374 / 022-68727374 ନମ୍ବରରେ କଲ କରନ୍ତୁ।
- ସୋସିଆଲ ମିଡିଆରେ ଅଭିଯୋଗ:
- Twitter: PhonePe Support
- Facebook: PhonePe Official
- ଅଭିଯୋଗ ସମାଧାନ: PhonePe ଅଭିଯୋଗ ପୋର୍ଟାଲରେ ଏକ ଅଭିଯୋଗ ଦାଖଲ କରନ୍ତୁ।
ସରକାରୀ ସଂସ୍ଥାକୁ ରିପୋର୍ଟ କରିବା:
- ସାଇବର କ୍ରାଇମ ସେଲ: ସାଇବର କ୍ରାଇମ ପୋର୍ଟାଲରେ ଅନଲାଇନରେ ଏକ ଅଭିଯୋଗ ଦାଖଲ କରନ୍ତୁ କିମ୍ବା 1930 କୁ କଲ କରନ୍ତୁ।
- ଦୂରସଞ୍ଚାର ବିଭାଗ (DOT): ସନ୍ଦେହଜନକ ମେସେଜ, କଲ କିମ୍ବା ହ୍ଵାଟ୍ସଆପ/ଟେଲିଗ୍ରାମ ଠକେଇ ବିଷୟରେ ସଞ୍ଚାର ସାଥୀ ପୋର୍ଟାଲ ଚକ୍ଷୁ (Chakshu) ସୁବିଧା ମାଧ୍ୟମରେ ରିପୋର୍ଟ କରନ୍ତୁ।
ଗୁରୁତ୍ୱପୂର୍ଣ୍ଣ ସୂଚନା — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ମାଗେ ନାହିଁ। ଯଦି କୌଣସି ଇମେଲ phonepe.com ଡୋମେନରୁ ଆସିନଥାଏ, ତେବେ PhonePe ନାମରେ ଆସିଥିବା ସେହିଭଳି ଇମେଲଗୁଡ଼ିକୁ ଅଣଦେଖା କରନ୍ତୁ। ଯଦି ଆପଣଙ୍କୁ ଠକେଇର ସନ୍ଦେହ ହୁଏ, ତେବେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ।
